Unknown

 

 

 

 

 

 

 

 

 

 

କଥାଏ କହୁଛି ମୁହିଁ

ଭକ୍ତ ସୁଦର୍ଶନ

 

କଥାଏ କହୁଛି ମୁହିଁ,

କାୟା ଦେହ ତୋର ରହିବ ନାହିଁ

ସୁମନରେ ।

କାଳେ ଦେବେଟି ଜଳାଇ ।୧।

 

କ୍ଷିତିରେ ଜନମ ହୋଇ,

କ୍ଷଣେ ସାଧୁସଙ୍ଗେ ବସିଲୁ ନାହିଁ,

ସୁମନରେ ।

ଖେଳଘରେ ହେଲୁ ବାଇ ।୨।

 

ଗରବ ନକର ଚିତ୍ତେ,

ଗଲା ଲୋକମାନ ଦେଖିଛୁ ଯେତେ,

ସୁମନରେ ।

ଗଣ୍ଠି ବାନ୍ଧି ନେଲେ କେତେ ।୩।

 

ଘୋଟିଅଛି କାଳ ସର୍ପ,

ଘରୁ ଘେନି ଯିବେ ଶମନ ନୃପ,

ସୁମନରେ ।

ଘଡ଼ିକେ ଭାଙ୍ଗିବେ ଦର୍ପ ।୪।

 

 

ଉଦେ ଥାଉଁ ଥାଉଁ ଅନା,

ଅସ୍ତ ହେଲେ ଦିନ ହୋଇବୁ ବଣା,

ସୁମନରେ ।

ଅନାମିକା ପାଦେ ଜଣା ।୫।

 

ଚାହୁଁ ଚାହୁଁ ଜୀବ ଯିବ,

ଯୌବନ ବଖରା ବିଅର୍ଥ ହେବ,

ସୁମନରେ ।

ଚିନ୍ତାମଣି ଚିତ୍ତେ ଭାବ ।୬।

 

ଛନ ତେଜି ଚିତ୍ତ ମଜା,

ଛାଡ଼ିବ କ୍ଷଣକେ ପୁତ୍ର ଭାରିଯା,

ସୁମନରେ ।

ଛାଡ଼ି ଯୋରନ୍ଦାକୁ ଯା, ଯା ।୭।

 

ଜଳୁଛି ଶୂନ୍ୟରେ ଜ୍ୟୋତି,

ଯତ୍ନରେ ତହିଁକି ବଳାଅ ମତି,

ସୁମନରେ ।

ଯେବେ ପାଇବୁ ସୁଗତି ।୮।

 

 

ଝରୁଛି ଶୂନ୍ୟରେ ଝର ଝର

ମୁଣ୍ଡେ ବସି ପିଅନ୍ତି ହର,

ସୁମନରେ ।

ଝସାଇ ପଶ ସେଠାରେ ।୯।

 

ନିଶ୍ଚୟେ କହୁଛି ମୁହିଁ,

ନାଶ ଗଲେ ଦେହ ଛୁଇଁବେ ନାହିଁ,

ସୁମନରେ ।

ନାମଟି ଅଲେଖ ବାଇ ।୧୦।

 

ଟେକି ଚାହାଁ ସସ୍ର ଦଳ,

ଟାକି ବସିଥିବୁ ସଙ୍କୁନି କାଳ,

ସୁମନରେ ।

ଟାଳିବୁ ଯେମନ୍ତେ କାଳ ।୧୧।

 

ଠିକଣାରେ ଧର ତୁହି,

ଠୁଳ ଖସିଗଲେ ରହିବୁ ନାହିଁ,

ସୁମନରେ ।

ଠିକେ ସୁଦର୍ଶନ କହି ।୧୨।

 

 

ଡୋଳାରେ ଡୋଳା ମିଶାଇ,

ଡୋଳା ଟେକି ଚାହଁ ରାହସ ଭୂଇଁ,

ସୁମନରେ ।

ଡର ତ ରହିବ ନାହିଁ ।୧୩।

 

ଢମପଣ ଛାଡ଼ିଯିବ,

ଢାଙ୍କୁଣୀ ଘୋଡ଼ାଇ ରହିଛି ଜୀବ,

ସୁମନରେ ।

ଢଳିଲେ ପ୍ରମାଦ ହେବ ।୧୪।

 

ଅନାହତ ପୁରେ ସ୍ଥିତି,

ଅନାଦି ଯହିଁରେ ହୋଇଛି ଶକ୍ତି,

ସୁମନରେ ।

ଏକଅଙ୍ଗ ଷଡ଼ମୂର୍ତ୍ତି ।୧୫।

 

ତୁ ତୋତେ ଚିହ୍ନି ପାରିଲେ,

ତ୍ରୟ ତାପ ତୋତେ ନ ଲାଗେ ଭଲେ,

ସୁମନରେ ।

ତତ୍ତ୍ୱ ତାରକେ ଘୋଷିଲେ ।୧୬।

 

 

ଥିବକି ଏ ହେତୁ ତୋର,

ଥରିବେ ଦେଖିଲେ ଯମ ଡଗର,

ସୁମନରେ ।

ସ୍ଥାନ ଥାଉ ସ୍ଥାନ କର ।୧୭।

 

ଦଗ୍‌ଧ ପଟଳେ ପଡ଼ି,

ଦୀନବନ୍ଧୁ ପାଦପଦ୍ମକୁ ଛାଡ଼ି,

ସୁମନରେ ।

ଦାରାସୁତ ସ୍ନେହେ ଜଡ଼ି ।୧୮।

 

ଧରି ଘେନୁ ତୋ ମନରେ,

ଧରି ଜପୁଥା ଅଜପା ମନ୍ତ୍ରରେ,

ସୁମନରେ ।

ଧ୍ୟାନ ତୋ ଧୂନି ଦୁଆରେ ।୧୯।

 

ନର ଦେହ ନୁହେଁ ଚିର,

ନିଦାନ କାଳେ ତେଜିବେ ଭ୍ରମର,

ସୁମନରେ ।

ନ ଯିବେ କେହି ସଙ୍ଗର ।୨୦।

 

 

ପାରିଲେ ପରତେ ହୁଅ,

ପରାପର ବୁଦ୍ଧି ହୃଦରୁ ଥୁଅ,

ସୁମନରେ ।

ପଦୁ ମକରନ୍ଦ ପିଅ ।୨୧।

 

ଫୁକା ବନ୍ଧୁକର ଆଣ୍ଟ,

ଫିଟିଲେ ସରିବ ତୋର ମୁରାଟ,

ସୁମନରେ ।

ଫେଡ଼ିବେ ଅଶେଷ କଷ୍ଟ ।୨୨।

 

ବଟମୂଳେ ହାଟ ସ୍ଥାନ,

ବାଢ଼ିଛନ୍ତି ନାନା ପସରା ମାନ,

ସୁମନରେ ।

ବେନି ଧାଡ଼ି ହୋଇ ଜାଣ ।୨୩।

 

ଭାବି ଭଜ ଭଗବାନ,

ଭାବି ନ ପାରିଲା ସୁଦରଶନ,

ସୁମନରେ ।

ଭକତ ହୀନ ଦୁର୍ଜନ ।୨୪।

 

 

ମଲା ମଲା ବୋଲି ଜନ,

ମରିନାହିଁ ଚାଲିଗଲା ଜୀବନ,

ସୁମନରେ ।

ମିଳି ପରମ ସଙ୍ଗେଣ ।୨୫।

 

ଜ୍ୟୋତିକୁ ଜାଳି ତୁ ଦେଖ,

ଯହିଁ ପଞ୍ଚଆତ୍ମା ହୁଅନ୍ତି ଠିକ,

ସୁମନରେ ।

ଜାଣି ଭଜିଲେ ଗୋରେଖ ।୨୬।

 

ରାଧା ଅଙ୍ଗ ଜୀବ ବହି,

ରାଧିକା କାନ୍ତ ପରମ ଅଟଇ,

ସୁମନରେ ।

ରାତ୍ର ଦିବା ତାଙ୍କ ନାହିଁ ।୨୭।

 

ଲହରୀକି କର ଊଣା,

ଲହରୀ ଜଳେ ତୁ ନୋହିବୁ ବଣା,

ସୁମନରେ ।

ଲେଉଟି ପଶ୍ଚିମେ ଅନା ।୨୮।

 

 

ବଙ୍କୁନାଳେ କର ଠଣା,

ବାରାଧି ଘାତରେ ନୋହିବୁ ଊଣା,

ସୁମନରେ ।

ବିବେକ ବୁଦ୍ଧିରେ ସିନା ।୨୯।

 

ସଂଶୟ ମନେ ନକର,

ସଚ୍ଚିଦାନନ୍ଦଙ୍କୁ ଆଶ୍ରୟ କର,

ସୁମନରେ ।

ସର୍ପଟି ହାଟ ଦୁଆର ।୩୦।

 

ଶିବ ବ୍ରହ୍ମାଦି ଇନ୍ଦ୍ରାଦି,

ସେ ସ୍ଥାନରେ ସର୍ବେ ହୋଇଲେ ଦ୍ୱନ୍ଦ୍ୱି,

ସୁମନରେ ।

ଶକ୍ତି ରହିଛି ଆଚ୍ଛାଦି ।୩୧।

 

ସରୁଆ ମନ ଯାହାରି,

ସେ ହାଟେ ସେ ପାରେ ବେପାର କରି,

ସୁମନରେ ।

ସବୁକିଣେ ହରି ହରି ।୩୨।

 

 

ହୃଦେ ପ୍ରଭୁ ନାମ ରଟ,

ହରଷ ଚିତ୍ତରେ ଚରଣେ ଖଟ,

ସୁମନରେ ।

ହତ ହୋଇଯାଉ କଷ୍ଟ ।୩୩।

 

କ୍ଷୋଭ ସମୁଦ୍ରରେ ପଡ଼ି,

ଛାର ସୁଦର୍ଶନ ମରୁଛି ବୁଡ଼ି,

ସୁମନରେ ।

ସ୍ୱାମୀ ନାମ ହୃଦୁ ଛାଡ଼ି ।୩୪।